ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ,
ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ
ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ] ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା
ଆନ୍ଦୋଳନରେ ଭାଗ ନେଇଥିଲେ ।
ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା
ଗ୍ରହଣ କରିଥିଲା । ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ ।
ପ୍ରାରମ୍ଭିକ ଜୀବନ
ସେ ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କଟକ ଜିଲ୍ଲା ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
ଓଡ଼ିଶା ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ
କର୍ତ୍ତା ତୋଡ଼ରମଲ୍ଲଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ୱାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ ।
ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’
ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’
ହୋଇଥିଲେ ।
ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା
ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା
ଲାଭ କରିଥିଲେ ।
ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର
ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ
କରିଥିଲେ।
ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ
ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ।
ଉତ୍କଳ ଦୀପିକା ପ୍ରକାଶନ
କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା
ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ।
ପ୍ରଥମ ଓଡ଼ିଆ ଖବରକାଗଜ 'ଉତ୍କଳ ଦୀପିକା', ୪ ଅଗଷ୍ଟ ୧୮୬୬ ରେ
ପ୍ରଥମ କରି ପ୍ରକାଶିତ ହୋଇଥିଲା । ଏହା ପ୍ରଥମେ ସାପ୍ତାହିକ ଭାବେ ପ୍ରକାଶିତ ହୋଇଥିଲା । ଗୌରୀ
ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ର ପ୍ରଥମ ସମ୍ପାଦକ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୧୭ ମସିହା
ମାର୍ଚ୍ଚ ୭ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।
0 comments:
Post a Comment
Thank You